ଭାରତରେ ଗୁରୁଦେବଙ୍କର ଭକ୍ତମାନଙ୍କ ଉଦ୍ଦେଶ୍ୟରେ ସ୍ୱାମୀ ଚିଦାନନ୍ଦ ଗିରିଙ୍କ ପ୍ରେରଣାଦାୟୀ ସନ୍ଦେଶ ଓ ଆଶ୍ୱାସନା ଜନକ ପ୍ରାର୍ଥନା

24 ଏପ୍ରିଲ୍, 2021

ପ୍ରିୟ ଆତ୍ମନ,

ଆମର ପ୍ରିୟ ଭାରତରେ ଏତେ ଅନେକ ଭକ୍ତଙ୍କୁ କୋଭିଡ ମହାମାରୀରେ ଆକ୍ରାନ୍ତ ହେବାର ଦେଖି, ମୁଁ ଆପଣମାନଙ୍କୁ କହିବାକୁ ଚାହେ ଯେ ମୁଁ ଆପଣମାନଙ୍କ ପାଇଁ ଗଭୀରତମ ପ୍ରାର୍ଥନା କରୁଛି, ମାନସ ଦର୍ଶନ କରୁଛି ଯେ ଈଶ୍ବରଙ୍କ ମହାନ ଜ୍ୟୋତି ଓ ଆଶିଷ ଆପଣଙ୍କୁ ଆଚ୍ଛାଦନ କରି ସୁରକ୍ଷା ଦେଉଛି ଓ ଆମ ବିଶ୍ୱ ପରିବାରକୁ ପୀଡିତ କରୁଥିବା ଏହି ଵିପଦାକୁ ସମାପ୍ତ କରିବାରେ ତ୍ୱରାନ୍ୱିତ କରୁଛି ।

ମୋର ହୃଦୟ ଆପଣଙ୍କ ଲାଗି ବ୍ୟଥିତ ଯେ ଏହି ମହାମାରୀ ଆପଣଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଘୋର ସଙ୍କଟ ସୃଷ୍ଟି କରିଛି । ବିଶ୍ୱ ପରିବାର ଉପରେ ଏପରି ସଙ୍କଟ ଈଶ୍ବରଙ୍କ ପାଖରୁ ଆସି ନ ଥାଏ, ବରଂ ଏହା ମାନବର ଅଦୃଷ୍ଟ ସ୍ବେଛାକୃତ ସଂଚିତ ସାମୁହିକ କର୍ମର ଫଳ । ତଥାପି, ଯଦି ଆମେ ଈଶ୍ବରଙ୍କ ସହ ସମସ୍ୱର ହୋଇପାରିବା, ତେବେ ତାଙ୍କ ପ୍ରିୟ ସନ୍ତାନ ରୂପେ, ଯେ କୌଣସି ସଙ୍କଟ ପରିସ୍ଥିତି ଆସୁ ପଛେ, ଆମେ ତାଙ୍କ ଅଦୃଶ୍ୟ ବରଦ ହସ୍ତ ଓ ପ୍ରେମଭରା ଉପସ୍ଥିତିକୁ ଅନୁଭବ କରିପାରିବା। ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଏହି ସତ୍ୟକୁ ଧରି ରଖନ୍ତୁ, ଅନ୍ତଃକରଣରେ ଶାନ୍ତି ଓ ବିଶ୍ୱାସ ଧରି ରଖନ୍ତୁ ଯେ ଈଶ୍ବରଙ୍କ ପ୍ରେମ ଓ ଶକ୍ତି ଆମକୁ ଏହି ଅତି ସଙ୍କଟମୟ ସମୟରେ ଆମର ମାର୍ଗଦର୍ଶନ କରାଇବ, କାରଣ ସେ ଆମର ସର୍ବୋଚ୍ଚ ସୁରକ୍ଷାର ବଳୟ – ଆମର ଚିରନ୍ତନ ପଥପ୍ରଦର୍ଶକ ଯିଏ ସବୁ ସଙ୍କଟ ମଧ୍ୟରେ ଆମକୁ ଚରମ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦାନ କରିବେ ।

ଯେତେବେଳେ କୌଣସି ସଂକଟମୟ ପରିସ୍ଥିତି ଆପଣଙ୍କ ଶାରୀରିକ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରତିହତ କରେ, ସେତେବେଳେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ ସଚେତନ ହୁଅନ୍ତୁ ଯେ ସର୍ବଶକ୍ତିମାନ ପରମପିତା/ଜଗନ୍ମାତା ଆପଣଙ୍କ ସହିତ ସେହି ସ୍ଥାନରେ ସେହି ସମୟରେ ପାଖେପାଖେ ଅଛନ୍ତି ଏବଂ ଦୃଢତାର ସହିତ ପ୍ରତିଜ୍ଞାପାଠ କରନ୍ତୁ, “ମୁଁ ଈଶ୍ୱରଙ୍କ ସାନ୍ନିଧ୍ୟରେ ସୁରକ୍ଷିତ ଅଛି, କୌଣସି ବିପଦ ମତେ ଛୁଇଁ ପାରିବ ନାହିଁ, କାରଣ ଜୀବନର ପ୍ରତ୍ୟେକ ପରିସ୍ଥିତିରେ – ଶାରୀରିକ, ମାନସିକ, ଆର୍ଥିକ, ଆଧ୍ୟାତ୍ମିକ – ମୁଁ ଈଶ୍ବରଙ୍କ ସାନ୍ନିଧ୍ୟର ଦୁର୍ଗରେ ସୁରକ୍ଷିତ ଅଛି ।”

ଧ୍ୟାନ ଆମର ସର୍ବୋଚ୍ଚ ସୁରକ୍ଷା ଏବଂ ସାନ୍ତ୍ୱନା, ଏବଂ ଏହା ଆମର ଅଜେୟ ଓ ଅମ୍ଲାନ ଆତ୍ମାକୁ ଏହି ସଂକଟମୟ ପରିସ୍ଥିତି ମଧ୍ୟରୁ ବାଟ କଢାଇନେବ । ଆମେ ଆମର ହୃଦୟ ଈଶ୍ୱରଙ୍କୁ ଖୋଲିଦେଲେ – ତାହା କ୍ଷଣିକପାଇଁ ହେଉ, କି ବାରମ୍ବାର ହେଉ –ତାଙ୍କର ଆରୋଗ୍ୟଦାୟୀ ପ୍ରେମ ଓ ସାମର୍ଥ୍ୟ ପ୍ରଦାୟୀ ପ୍ରଜ୍ଞା ଆମର ସମସ୍ତ ସନ୍ଦେହ ଓ ଅନିଶ୍ଚୟତାକୁ ଦୂର କରିବା ପାଇଁ, ଆମକୁ ସାନ୍ତ୍ୱନା ଓ ସାମର୍ଥ୍ୟ ଦେବା ସଂଗେ ସଂଗେ ଆମର ଆନ୍ତରିକ ଶକ୍ତିବର୍ଦ୍ଧନ ଓ ଚେତନାର ଉତ୍ଥାନ କରାଇବ। ଏହିପରିଭାବେ, ଆମେ ଆତ୍ମବଳରେ ପରିପୂର୍ଣ ରହିଥିବାର ଅନୁଭବ କରୁ ଏବଂ ଯେ କୌଣସି ସମସ୍ୟାର ସମ୍ମୁଖୀନ ହେବାପାଇଁ ଆବଶ୍ୟକ ଯୋଜନାର ଆନ୍ତରିକ ମାର୍ଗଦର୍ଶନ ପାଇଥାଉ ।

ଯେ କୌଣସି ସମସ୍ୟାର ସମ୍ମୁଖୀନ ହେବାପାଇଁ ଗୁରୁଦେବ ଆମକୁ ଏକ ସଠିକ ଦୃଷ୍ଟିକୋଣ ଦେଇଛନ୍ତି:

“ନକାରାତ୍ମକ ପରିସ୍ଥିତି ମଧ୍ୟରେ ସକାରାତ୍ମକ ଓ ଗଠନମୂଳକ ମନୋଭାବ ଦ୍ୱାରା ‘ବିରୋଧଭାବ’ର ଅଭ୍ୟାସ କର । ତିତିକ୍ଷା ଅଭ୍ୟାସ କର, ଯାହାର ଅର୍ଥ ହେଲା ଦୁଃଖଦ ପରିସ୍ଥିତିରେ ଅଭିଭୂତ ହୁଅନାହିଁ, ବରଂ ମାନସିକ ଭାବେ ମ୍ରିୟମାଣ ନ ହୋଇ ଏହାର ବିରୋଧ କର । ଯେତବେଳେ ଅସୁସ୍ଥ ଅନୁଭବ କର, ମନକୁ ବିଚଳିତ ହେବାକୁ ନ ଦେଇ ସ୍ୱାସ୍ଥ୍ୟରକ୍ଷାର ନିୟମ ପାଳନ କର। ଯାହା କିଛି କର, ନିର୍ବିକାର ଭାବରେ କର।”

ପ୍ରିୟ ଭକ୍ତ ମଣ୍ଡଳୀ, ବିଶ୍ୱାସ ରଖନ୍ତୁ ଯେ ଗୁରୁଦେବଙ୍କର ୱାଇଏସଏସ/ଏସଆରଏଫ ଆଶ୍ରମ ଗୁଡିକରେ ସବୁ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ମାନେ ମୋ ସହିତ ଗଭୀର ପ୍ରାର୍ଥନାରେ ଯୋଗ ଦେଇ ଭାରତରେ ଏବଂ ବିଶ୍ବରେ ପ୍ରତ୍ୟେକଙ୍କ ନିକଟକୁ ଆରୋଗ୍ୟକାରୀ ସ୍ପନ୍ଦନ ଓ ଆଶୀର୍ବାଦ ପ୍ରେରଣ କରୁଛନ୍ତି । ଦୟାକରି ଆପଣମାନଙ୍କ ପ୍ରାର୍ଥନାକୁ ଆମମାନଙ୍କ ପ୍ରାର୍ଥନା ସହିତ ଯୋଡି, ଈଶ୍ବରଙ୍କ କରୁଣା ଓ ଆଶୀର୍ବାଦ ସମସ୍ତ ଆର୍ତ୍ତ ଜନତାଙ୍କୁ ପ୍ରେରଣ କରନ୍ତ। ପରସ୍ପରକୁ ସାହାଯ୍ୟ କରି, ଆମର ଶାନ୍ତ ବ୍ୟବହାର ଦ୍ୱାରା ଆଖପାଖର ଲୋକଙ୍କ ମନୋବଳ ବଢ଼ାଇ ଏବଂ ଆପଣାକୁ ଈଶ୍ବରଙ୍କ ଅନନ୍ତ ଶକ୍ତି ଓ ସାହସରେ ସ୍ପନ୍ଦିତ କରି ଆମେ ଏକାଠି ଏହି ସଂକଟମୟ ପରିସ୍ଥିତି ମଧ୍ୟରୁ ବିଜୟୀ ହୋଇ ବାହାରିବା ।

ଈଶ୍ୱର ଓ ଗୁରୁଦେବ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ମାର୍ଗଦର୍ଶନ କରାନ୍ତୁ, ଏବଂ ଆପଣ ଓ ଆପଣଙ୍କର ପରିବାରବର୍ଗଙ୍କ ର ରକ୍ଷା କରନ୍ତୁ ।

ସ୍ୱାମୀ ଚିଦାନନ୍ଦ ଗିରି

ଏହାକୁ ସେୟାର କରନ୍ତୁ

ୱାଇ.ଏସ. ଏସ. ବ୍ଲଗ୍ରୁ ଅଧିକ ତଥ୍ୟ